Psalms 88

ସହାୟତା ପାଇଁ ବିନତୀ

ଗୀତ; କୋରହ-ସନ୍ତାନଗଣର ଗୀତ। ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍‍ ଲୀୟନ୍ନୋତ୍‍ ସ୍ୱରରେ ଇଷ୍ରାହୀୟ ହେମନର ମସ୍କୀଲ୍‍।

1ସଦାପ୍ରଭୁ, ମୋ’ ପରିତ୍ରାଣର ପରମେଶ୍ୱର,
ମୁଁ ଦିବାରାତ୍ର ତୁମ୍ଭ ସମ୍ମୁଖରେ କାକୂକ୍ତି କରିଅଛି;
2ମୋ’ ପ୍ରାର୍ଥନା ତୁମ୍ଭ ଛାମୁରେ ଉପସ୍ଥିତ ହେଉ;
ମୋ’ କାକୂକ୍ତିରେ କର୍ଣ୍ଣପାତ କର;

3କାରଣ ମୋ’ ପ୍ରାଣ ଦୁଃଖରେ ପରିପୂର୍ଣ୍ଣ

ଓ ମୋ’ ଜୀବନ ପାତାଳର ନିକଟବର୍ତ୍ତୀ ହେଉଅଛି।
4ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ସଙ୍ଗେ ଗଣିତ;
ମୁଁ ଅସହାୟ ଲୋକର ସମାନ।

5ଯେଉଁ କବରଶାୟୀ ହତ ଲୋକମାନଙ୍କୁ

ତୁମ୍ଭେ ଆଉ ସ୍ମରଣ କରୁ ନାହଁ
ଓ ଯେଉଁମାନେ ତୁମ୍ଭ ହସ୍ତରୁ ବିଚ୍ଛିନ୍ନ ହୋଇଅଛନ୍ତି,
ସେହି ମୃତ ଲୋକମାନଙ୍କ ମଧ୍ୟରେ ମୁଁ ତ୍ୟକ୍ତ ହୋଇଅଛି।
6ତୁମ୍ଭେ ମୋତେ ନୀଚତମ ଗତ୍ତର୍ରେ,
ଅନ୍ଧକାରରେ, ଗଭୀର ସ୍ଥାନରେ ରଖିଅଛ।

7ତୁମ୍ଭର କୋପ ମୋ’ ଉପରେ ପ୍ରବଳ ହୋଇ ରହୁଅଛି

ଓ ତୁମ୍ଭେ ଆପଣାର ସମସ୍ତ ତରଙ୍ଗରେ ମୋତେ କ୍ଳେଶ ଦେଇଅଛ। [ସେଲା]

8ତୁମ୍ଭେ ମୋହର ପରିଚିତ ଲୋକମାନଙ୍କୁ ମୋ’ଠାରୁ ଦୂରରେ ରଖିଅଛ;

ତୁମ୍ଭେ ସେମାନଙ୍କ ନିକଟରେ ମୋତେ ଘୃଣାର ବିଷୟ କରିଅଛ।
ମୁଁ ଅବରୁଦ୍ଧ ହୋଇଅଛି ଓ ମୁଁ ବାହାରକୁ ଆସି ପାରୁ ନାହିଁ।

9କ୍ଳେଶ ସକାଶୁ ମୋ’ ଚକ୍ଷୁ କ୍ଷୀଣ ହେଉଅଛି;

ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି,
ମୁଁ ତୁମ୍ଭଆଡ଼େ ଆପଣା ହସ୍ତ ପ୍ରସାରିଅଛି।
10ତୁମ୍ଭେ କି ମୃତ ଲୋକମାନଙ୍କୁ ଆଶ୍ଚର୍ଯ୍ୟକ୍ରିୟା ଦେଖାଇବ ?
ଯେଉଁମାନେ ମରିଯାଇଅଛନ୍ତି, ସେମାନେ ଉଠି କି ତୁମ୍ଭର ପ୍ରଶଂସା କରିବେ ? [ସେଲା]

11କବରରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିଅବା ବିନାଶ

ସ୍ଥାନରେ ତୁମ୍ଭର ବିଶ୍ୱସ୍ତତା କି ପ୍ରଚାରିତ ହେବ ?
12ଅନ୍ଧକାରରେ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟା ଓ
ବିସ୍ମୃତି ଦେଶରେ ତୁମ୍ଭର ଧର୍ମ କି ଜଣାଯିବ ?

13ମାତ୍ର ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ କାକୂକ୍ତି କରିଅଛି

ଓ ପ୍ରଭାତରେ ମୋ’ ପ୍ରାର୍ଥନା ତୁମ୍ଭ ନିକଟରେ ଉପସ୍ଥିତ ହେବ।
14ହେ ସଦାପ୍ରଭୁ, ତୁମ୍ଭେ କାହିଁକି ମୋ’ ପ୍ରାଣକୁ ପରିତ୍ୟାଗ କରୁଅଛ ?
ତୁମ୍ଭେ କାହିଁକି ମୋ’ଠାରୁ ଆପଣା ମୁଖ ଲୁଚାଉଅଛ ?

15ମୁଁ ବାଲ୍ୟକାଳଠାରୁ ଦୁଃଖଗ୍ରସ୍ତ ଓ ମୃତକଳ୍ପ;

ମୁଁ ତୁମ୍ଭ ତ୍ରାସ ଭୋଗ କରି କରି ଉନ୍ମନା ହୋଇଅଛି।
16ତୁମ୍ଭ ପ୍ରଚଣ୍ଡ କୋପ ମୋ’ ଉପର ଦେଇ ଯାଇଅଛି;
ତୁମ୍ଭର ତ୍ରାସସବୁ ମୋତେ ଉଚ୍ଛିନ୍ନ କରିଅଛି।

17ତାହାସବୁ ସାରାଦିନ ଜଳ ପରି ମୋ’ ଚାରିଆଡ଼େ ଉପସ୍ଥିତ;

ତାହାସବୁ ଏକତ୍ର ମୋ’ ଚାରିଆଡ଼େ ବେଷ୍ଟନ କଲେ।
ତୁମ୍ଭେ ସ୍ନେହୀକୁ ଓ ମିତ୍ରକୁ ମୋ’ଠାରୁ ଦୂରରେ
ଓ ମୋ’ ପରିଚିତ ଲୋକଙ୍କୁ ଅନ୍ଧକାରରେ ରଖିଅଛ।
18

Copyright information for OriULB